Jerusalem, the Vine, Will Be Burned
15
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2 “ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ’ଣ ଅଧିକ ଶକ୍ତ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି?
3 କୌଣସି କାର୍ଯ୍ୟ ନିମନ୍ତେ ତୁମ୍ଭେ କ’ଣ ସେହି କାଠ ନେବ? ନା! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ’ଣ ସେଥିରୁ ମେଖ କରିବ? ନା!
4 ଲୋକେ କେବଳ ଜାଳ ହେବା ପାଇଁ ତାକୁ ଅଗ୍ନିରେ ପକାନ୍ତି। ତା’ର ଦୁଇମୁଣ୍ଡ ଅଗ୍ନିରେ ପୋଡ଼ିଯାଏ ଓ ମଝିଅଂଶ ଅର୍ଦ୍ଧଦଗ୍ଧ’ ରହେ। ତାହା କ’ଣ କୌଣସି କାର୍ଯ୍ୟରେ ଆସିବ?
5 ଅଗ୍ନିରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ କି ଅଗ୍ନିରେ ଦଗ୍ଧ ହେଲା ପରେ ତାହା କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ।”
6 ସଦାପ୍ରଭୁ ମୋର ପ୍ରଭୁ କହନ୍ତି: “ବନର ସମସ୍ତ ବୃକ୍ଷ ମଧ୍ୟରୁ ମୋର ଜାଳେଣି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ଯିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି।
7 ମୁଁ ସେମାନଙ୍କ ବିରୁଦ୍ଧରେ ମୋର ମୁହଁ ବୁଲାଇବି। ଯଦି ସେମାନେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ଯେହେତୁ ମୁଁ ସେମାନଙ୍କ ବିରୁଦ୍ଧରେ ବିମୁଖ ହୋଇଛି, ଏହା ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
8 ଏବଂ ମୁଁ ସେ ଦେଶକୁ ଧ୍ୱଂସ କରିବି, କାରଣ ସେମାନେ ମୋ’ ପ୍ରତି ମହା ଅବିଶ୍ୱାସ କରିଛନ୍ତି।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।