47
ପଲେଷ୍ଟୀୟର ବିଚାର 
 1 ଫାରୋ ଘସା ନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 
 2 “ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଚ୍ଛୁଳୁଅଛି, 
ତାହା ପ୍ଲାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, 
ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; 
ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ। 
 3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, 
ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ 
ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ; 
 4 କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର, 
ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ 
ଉଚ୍ଛିନ୍ନ କରିବାର ଦିନ ଆସୁଅଛି; 
ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର, 
କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ। 
 5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ?  6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ? 
ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶାନ୍ତ ଓ କ୍ଷାନ୍ତ ହୁଅ। 
 7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିପରି କ୍ଷାନ୍ତ ହୋଇପାର? 
ସେ ଅସ୍କିଲୋନର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।”