22
ଇଲୀଫସ୍-ଆୟୁବର ଦୁଷ୍ଟତା ଅଧିକ 
 1 ଏଥିଉତ୍ତାରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା, 
 2 “ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ? 
ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ। 
 3 ତୁମ୍ଭେ ଯେ ଧାର୍ମିକ ଅଟ, ଏହା କʼଣ ସର୍ବଶକ୍ତିମାନଙ୍କ ସୁଖର କାରଣ? 
ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କʼଣ ତାହାଙ୍କ ପ୍ରତି ଲାଭଜନକ? 
 4 ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କʼଣ ତୁମ୍ଭକୁ ଅନୁଯୋଗ କରନ୍ତି 
ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି? 
 5 ତୁମ୍ଭର ଦୁଷ୍ଟତା କʼଣ ବଡ଼ ନୁହେଁ? 
ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ। 
 6 ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ 
ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ। 
 7 ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ 
ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ। 
 8 ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା 
ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା। 
 9 ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ 
ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି। 
 10 ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି 
ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି। 
 11 ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର 
ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି। 
 12 ପରମେଶ୍ୱର କʼଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି? 
ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ! 
 13 ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? 
ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି? 
 14 ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ 
ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି।’ 
 15 ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, 
ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ? 
 16 ସେମାନେ ଅକାଳରେ ଛିଣ୍ଡାଗଲେ, 
ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା;  17 ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ’ 
ଓ ‘ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭମାନଙ୍କ ପାଇଁ କʼଣ କରିପାରନ୍ତି?’ 
 18 ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ; 
ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ। 
 19 ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି 
ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି, 
 20 ‘ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି 
ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି।’ 
 21 ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; 
ତଦ୍ଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। 
 22 ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର 
ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର। 
 23 ଯଦି ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ଫେରିବ, 
ଯଦି ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, 
ତେବେ ତୁମ୍ଭେ ଦୃଢ଼ କରାଯିବ। 
 24 ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ 
ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇଦିଅ; 
 25 ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ 
ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ। 
 26 କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ 
ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ। 
 27 ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ 
ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ। 
 28 ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ; 
ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ। 
 29 ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ* ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ ଏବ୍ରୀ ଭାଷାରେ ଏହା ସ୍ପଷ୍ଟ ନୁହେଁ। 
କାରଣ ପରମେଶ୍ୱର ନମ୍ର ଲୋକକୁ ରକ୍ଷା କରିବେ। 
 30 ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ; 
ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ୱାରା ସେ ଉଦ୍ଧାର ପାଇବ।”