69
ସାହାଯ୍ୟ ପାଇଁ ଆତୁର ନିବେଦନ 
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ। 
 1 ହେ ପରମେଶ୍ୱର, ମୋତେ ପରିତ୍ରାଣ କର; 
କାରଣ ମୋʼ ବେକ* ବେକ କିମ୍ବା ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି। 
 2 ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ; 
ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋʼ ଉପର ଦେଇ ଯାଉଅଛି। 
 3 ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି; 
ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ। 
 4 ଅକାରଣରେ ମୋତେ ଘୃଣା କରିବା ଲୋକେ ମୋʼ ମସ୍ତକର କେଶଠାରୁ ଅନେକ; 
ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ; 
ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି। 
 5 ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; 
ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ। 
 6 ହେ ପ୍ରଭୋ, ସୈନ୍ୟାଧିପତି ସଦାପ୍ରଭୋ, ତୁମ୍ଭର ଅନୁସରଣକାରୀମାନେ ମୋʼ ଦେଇ ଲଜ୍ଜିତ ନ ହେଉନ୍ତୁ; 
ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋʼ ଦେଇ ଅପମାନିତ ନ ହେଉନ୍ତୁ। 
 7 କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି। 
ଲଜ୍ଜା ମୋʼ ମୁଖ ଆଚ୍ଛାଦନ କରିଅଛି। 
 8 ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା 
ଓ ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି। 
 9 କାରଣ ତୁମ୍ଭ ଗୃହବିଷୟକ ଉଦ୍ଯୋଗ ମୋତେ ଗ୍ରାସ କରିଅଛି। 
ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋʼ ଉପରେ ପଡ଼ିଅଛି। 
 10 ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ, 
ତାହା ମୋʼ ନିନ୍ଦାର ବିଷୟ ହେଲା। 
 11 ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ, 
ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି। 
 12 ନଗର-ଦ୍ୱାରରେ ବସିବା ଲୋକମାନେ ମୋʼ ବିଷୟରେ ଗଳ୍ପ କରନ୍ତି 
ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି। 
 13 ମାତ୍ର ହେ ସଦାପ୍ରଭୋ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି; 
ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ। 
 14 ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ; 
ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ। 
 15 ଜଳପ୍ଲାବନ ମୋତେ ମଗ୍ନ ନ କରୁ, 
କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ; 
ପୁଣି, ଗର୍ତ୍ତ ମୋʼ ଉପରେ ଆପଣା ମୁଖ ବନ୍ଦ ନ କରୁ। 
 16 ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; କାରଣ 
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; 
ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋʼ ପ୍ରତି ଫେର। 
 17 ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ; 
କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ। 
 18 ମୋʼ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର; 
ମୋʼ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର। 
 19 ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ; 
ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି। 
 20 ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି; 
ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା 
ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ। 
 21 ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ 
ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ। 
 22 ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ 
ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ। 
 23 ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ 
ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର। 
 24 ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳିଦିଅ 
ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ। 
 25 ସେମାନଙ୍କର ବସତି ସ୍ଥାନ ଶୂନ୍ୟ ହେଉ; 
ସେମାନଙ୍କ ତମ୍ବୁରେ କେହି ବାସ ନ କରୁ। 
 26 କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି 
ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି। 
 27 ସେମାନଙ୍କ ଅପରାଧରେ ଅପରାଧ ଯୋଗ କର 
ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ। 
 28 ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ 
ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ। 
 29 ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ; 
ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ। 
 30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି 
ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି। 
 31 ପୁଣି, ତାହା ଗୋରୁ ଅବା ଶୃଙ୍ଗ 
ଓ ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ। 
 32 ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି; 
ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ। 
 33 କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି 
ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ। 
 34 ଆକାଶ ଓ ପୃଥିବୀ, 
ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ। 
 35 କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ; 
ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ। 
 36 ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ; 
ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।