118
ବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନା 
 1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; 
ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 
 2 ଇସ୍ରାଏଲ ଏବେ କହନ୍ତୁ ଯେ, 
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 
 3 ହାରୋଣ-ବଂଶ ଏବେ କହନ୍ତୁ ଯେ, 
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 
 4 ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, 
ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 
 5 ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି; 
ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। 
 6 ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; 
ମନୁଷ୍ୟ ମୋହର କଅଣ କରିପାରେ? 
 7 ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ; 
ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି। 
 8 ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା 
ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। 
 9 ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା 
ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। 
 10 ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ; 
ସଦାପ୍ରଭୁଙ୍କ ନାମରେ* ନାମରେ ଅର୍ଥାତ୍ ବଳରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 
 11 ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ; 
ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 
 12 ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ; 
ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି; 
ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 
 13 ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ; 
ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ। 
 14 ସଦାପ୍ରଭୁ ମୋହର ବଳ ଓ ଗାନ; 
ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି। 
 15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ; 
ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। 
 16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; 
ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। 
 17 ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି 
ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। 
 18 ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; 
ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି। 
 19 ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି; 
ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 
 20 ଏହି ସଦାପ୍ରଭୁଙ୍କ ଦ୍ୱାର; 
ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ। 
 21 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ 
ଓ ମୋହର ପରିତ୍ରାଣ ହୋଇଅଛି। 
 22 ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, 
ତାହା କୋଣର ପ୍ରଧାନ ପଥର ହୋଇଅଛି। 
 23 ଏହା ସଦାପ୍ରଭୁଙ୍କ କର୍ମ; 
ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। 
 24 ଏହା ସଦାପ୍ରଭୁଙ୍କ କୃତ ଦିନ; 
ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। 
 25 ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର; 
ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର। 
 26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; 
ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ। 
 27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; 
ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ। 
 28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; 
ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। 
 29 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; 
ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।