137
ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ 
 1 ଆମ୍ଭେମାନେ ବାବିଲୀୟ ନଦୀମାନର 
ନିକଟରେ ସିୟୋନକୁ ସ୍ମରଣ କଲା ବେଳେ 
ସେଠାରେ ବସିଲୁ ଓ ରୋଦନ କଲୁ। 
 2 ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା 
ଆପଣା ବୀଣା ଟଙ୍ଗାଇ ରଖିଲୁ। 
 3 କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, 
ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, 
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” 
 4 ଆମ୍ଭେମାନେ ବିଦେଶରେ 
କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା? 
 5 ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, 
ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ। 
 6 ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, 
ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, 
ତେବେ ମୋହର ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ।* ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରି ପାରିବି ନାହିଁ 
 7 ହେ ସଦାପ୍ରଭୋ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; 
ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।” 
 8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, 
ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, 
ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ। 
 9 ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି 
ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।