5
ପୁସ୍ତକ ଓ ମେଷଶାବକ 
 1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।  2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? 
 3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ।  4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।  5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। 
 6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।  7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। 
 8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। 
 9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, 
“ତୁମ୍ଭେ ସେହି ପୁସ୍ତକ ନେବାକୁ 
ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, 
କାରଣ ତୁମ୍ଭେ ହତ ହୋଇଥିଲ, 
ପୁଣି, ଆପଣା ରକ୍ତ ଦ୍ୱାରା 
ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ, 
 10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; 
ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।” 
 11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ।  12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, 
“ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, 
ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ 
ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।” 
 13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, 
“ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, 
ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।” 
 14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।