13
 1 ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ। 
ପ୍ରତିମାଗଣର ଉଚ୍ଛିନ୍ନ 
 2 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରାଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା।  3 ଆଉ, କେହି ଯଦି ପୁନର୍ବାର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ତେବେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଅଛ;’ ଆଉ, ସେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା ବେଳେ, ତାହାର ଜନ୍ମଦାତା ପିତା ଓ ମାତା ତାହାକୁ ଅସ୍ତ୍ରବିଦ୍ଧ କରିବେ।  4 ପୁଣି, ସେହି ଦିନ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା ବେଳେ, ପ୍ରତ୍ୟେକେ ଆପଣା ଆପଣା ଦର୍ଶନ ବିଷୟରେ ଲଜ୍ଜିତ ହେବେ ଓ ପ୍ରତାରଣା କରିବା ପାଇଁ ସେମାନେ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।  5 ମାତ୍ର ସେ କହିବ, ‘ମୁଁ ଭବିଷ୍ୟଦ୍ବକ୍ତା ନୁହେଁ, ମୁଁ କୃଷକ, କାରଣ ବାଲ୍ୟକାଳରୁ ମୁଁ କ୍ରୀତଦାସ ହୋଇଅଛି।’  6 ପୁଣି, ତୁମ୍ଭର ଦୁଇ ବାହୁ ମଧ୍ୟରେ ଏହି କ୍ଷତଦାଗସବୁ କଅଣ? ଏହା କେହି ତାହାକୁ ପଚାରିଲେ, ସେ ଉତ୍ତର କରିବ, ‘ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଥିଲି, ଏହିସବୁ ସେହି।’ ” 
ପାଳକକୁ ଆଘାତ 
 7 “ହେ ଖଡ୍ଗ, ଆମ୍ଭ ପାଳକର ବିରୁଦ୍ଧରେ 
ଓ ଆମ୍ଭ ସଖା-ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ, 
ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, 
ପାଳକକୁ ଆଘାତ କର, 
ତହିଁରେ ମେଷଗଣ ଛିନ୍ନଭିନ୍ନ ହୋଇଯିବେ 
ଓ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା। 
 8 ପୁଣି, ସଦାପ୍ରଭୁ କହନ୍ତି, 
ସମୁଦାୟ ଦେଶର ଦୁଇ ଅଂଶ ଲୋକ ଉଚ୍ଛିନ୍ନ ହୋଇ ମରିବେ; 
ମାତ୍ର ତୃତୀୟାଂଶ ତହିଁ ମଧ୍ୟରେ ଛଡ଼ାଯିବେ। 
 9 ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା 
ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, 
ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା। 
ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ 
ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। 
ଆମ୍ଭେ କହିବା, ‘ଏମାନେ ଆମ୍ଭର ଲୋକ’ 
ଆଉ, ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’ ”