5
ନିରାପତ୍ତା ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ। 
 1 ହେ ସଦାପ୍ରଭୋ, ମୋʼ ବାକ୍ୟରେ କର୍ଣ୍ଣ ଦିଅ, 
ମୋହର କାକୂକ୍ତି ବିବେଚନା କର। 
 2 ହେ ମୋହର ରାଜନ୍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, 
କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। 
 3 ହେ ସଦାପ୍ରଭୋ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; 
ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା* ପ୍ରାର୍ଥନା କିମ୍ବା ବଳିଦାନ ସଜାଇବି ଓ ଜଗି ରହିବି। 
 4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ; 
ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ। 
 5 ଅହଙ୍କାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ; 
ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ। 
 6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; 
ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି। 
 7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି; 
ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି। 
 8 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣ ସକାଶୁ ତୁମ୍ଭେ 
ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ; 
ମୋʼ ସମ୍ମୁଖରେ ତୁମ୍ଭର ପଥ ସରଳ କର। 
 9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; 
ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; 
ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; 
ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି। 
 10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର; 
ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ; 
ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; 
କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି। 
 11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ; 
ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; 
ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ। 
 12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୋ, 
ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।