ନିସ୍ତାରପର୍ବ
12
1 ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ,
2 “ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ।
3 ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ।
4 ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା’ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ।
5 ଯେଉଁ ମେଷ ଶାବକଟିକୁ ନେବ ତାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଓ ଏହା ଏକ ବର୍ଷର ପୁରୁଷ ମେଷ ହେବା ଆବଶ୍ୟକ। ଏହି ପଶୁଟି ଏକ ଯୁବାମେଷ କିମ୍ବା ଏକ ଛେଳି ଶାବକ ହେବା ଦରକାର।
6 ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ।
7 ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ।
8 “ସେହି ରାତ୍ରିରେ, ତୁମ୍ଭେ ତା’ର ମାଂସକୁ ଅଗ୍ନିରେ ଦଗ୍ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।
9 ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍।
10 ତୁମ୍ଭେ ନିଶ୍ଚିତ ତା’ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦଗ୍ଧ କରିବ।
11 “ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।
12 “ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।
13 ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ।
14 “ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।
15 ଏହି ଉତ୍ସବରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ସାତ ଦିନ ପର୍ଯ୍ୟନ୍ତ ଖାଇବ। ବିଶେଷତଃ ପ୍ରଥମ ଦିନରେ ତୁମ୍ଭ ଗୃହରୁ ତାଡ଼ି ଦୂରରେ ରଖିବ। ଏହି ସାତ ଦିନ ମଧ୍ୟରେ ତୁମ୍ଭେମାନେ କେହି ତାଡ଼ି ଖାଇବ ନାହିଁ। ଯଦି କେହି ତାଡ଼ି ଭୋଜନ କରେ ତେବେ ସେ ତା’ର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
16 ଏହି ପର୍ବର ପ୍ରଥମ ଦିନ ଓ ଶେଷ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ସେହି ଦିନ କିଛି କରିବା ଉଚିତ୍ ନୁହେଁ। କେବଳ ତୁମ୍ଭେମାନେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।
17 ଏହି ପ୍ରକାରରେ ତୁମ୍ଭେମାନ ତାଡ଼ିଶୂନ୍ୟ ରୋଟୀର ପର୍ବ ପ୍ରତି ବର୍ଷ ପାଳନ କରିବ। କାରଣ ସେହି ଦିନରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିବା। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ୟବସ୍ଥାରେ ମୋ’ ପାଇଁ ଏହି ଦିନ ପାଳନ କରିବ।
18 ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ।
19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।
20 ଏହି ପର୍ବରେ, ତୁମ୍ଭେମାନେ ତାଡ଼ିମିଶ୍ରିତ ରୋଟୀ ଖାଇବ ନାହିଁ। ତୁମ୍ଭେମାନେ ଯେଉଁ ସ୍ଥାନରେ ବାସ କରନା କାହିଁକି ତାଡ଼ିଶୂନ୍ୟ ରୋଟୀ ଖାଇବ।”
21 ତେଣୁ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭର ପରିବାର ପାଇଁ ଏକ ମେଷଶାବକ ଆଣ ଓ ନିସ୍ତାରପର୍ବର ମେଷଶାବକକୁ ବଧ କର।
22 ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ।
23 ସେହି ସମୟରେ ସଦାପ୍ରଭୁ ମିଶର ମଝିରେ ଯିବେ ଏବଂ ମିଶରୀୟମାନଙ୍କୁ ହତ୍ୟା କରିବେ। ସଦାପ୍ରଭୁ ଯେଉଁ ଦ୍ୱାରରେ ରକ୍ତ ଚିହ୍ନ ଦେଖିବେ ସେହି ଘରକୁ ଛାଡ଼ି ଦେବେ। ସେ ମୃତ୍ୟୁ ଦୂତକୁ ତୁମ୍ଭ ଘରେ ପଶି ତୁମ୍ଭକୁ ହତ୍ୟା କରିବାକୁ ଦେବେ ନାହିଁ।
24 ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହେବ। ଏହି ବ୍ୟବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍।
25 ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭେମାନେ ସେଠାରେ ମଧ୍ୟ ପାଳନ କରିବ, ସେହି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦେବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ।
26 ଯେତେବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେମାନେ କାହିଁକି ଏପରି ପର୍ବ ପାଳନ କରୁଛ?’
27 ତୁମ୍ଭେମାନେ କହିବ, ‘ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ। କାରଣ ଯେତେବେଳେ ଆମ୍ଭେ ମିଶରରେ ଥିଲୁ, ସଦାପ୍ରଭୁ ସେତେବେଳେ ଆମ୍ଭମାନଙ୍କୁ ଛାଡ଼ି କେବଳ ମିଶରବାସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ୟା କଲାବେଳେ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥିଲେ।’”
ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହୋଇ ପ୍ରଣାମ କଲେ।
28 ଏହି ଆଜ୍ଞା ସଦାପ୍ରଭୁ, ମୋଶା ଏବଂ ହାରୋଣଙ୍କୁ ଦେଇଥିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
29 ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ।
30 ସେହି ରାତ୍ରରେ ମିଶରର ପ୍ରତ୍ୟେକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଗ୍ଭରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।
ଇସ୍ରାଏଲ ମିଶର ଛାଡ଼ିଲେ
31 ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର।
32 ତୁମ୍ଭେ ତୁମ୍ଭର ମେଷ, ଗାଈ ଗୋରୁ ସମସ୍ତ ନେଇ ଯାଅ ଏବଂ ମୋତେ ଆଶୀର୍ବାଦ କର।”
33 ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।”
34 ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ।
35 ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।
36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ।
37 ଇସ୍ରାଏଲୀୟ ଲୋକମାନେ ରାମିଷେଷ୍ଠାରୁ ସୁକ୍କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ।
38 ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ।
39 ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।
40 ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ।
41 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।
42 ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।
43 ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।
44 କିନ୍ତୁ ପ୍ରତ୍ୟେକ ଲୋକର ଦାସ ଯିଏ କିଣା ହୋଇଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହୋଇଥାଏ।
45 ନ ହେଲେ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ।
46 “ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମ୍ଭେ ସେହି ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ। କିମ୍ବା ତା’ର ଗୋଟିଏ ହେଲେ ଅସ୍ଥି ଭାଙ୍ଗିବ ନାହିଁ।
47 ଇସ୍ରାଏଲର ସମଗ୍ର ମଣ୍ଡଳୀ ତାହା ପାଳନ କରିବେ।
48 ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଗ୍ଭହିଁବ ନିସ୍ତାରପର୍ବରେ ଭାଗନେବା ପାଇଁ ତେବେ ତାକୁ ସୁନ୍ନତ ହେବାକୁ ପଡ଼ିବ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ସହିତ ସମାନ ହେବ। ଏହା ପରେ ସେ ତୁମ୍ଭ ସହିତ ଭୋଜନ କରି ପାରିବ। ଯଦି ଜଣେ ସୁନ୍ନତ ହୋଇ ନ ଥିବ ତେବେ ସେ ନିସ୍ତାରପର୍ବ ପାଳନ କରି ପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇ ପାରିବ ନାହିଁ।
49 ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଜୁଜ୍ୟ, ଏହା କେବଳ ଅଣଇସ୍ରାଏଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ଏହି ନିୟମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶରେ ବାସ କରୁଥିବେ।”
50 ତେଣୁ ସମସ୍ତ ଇସ୍ରାଏଲୀୟମାନେ ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାକୁ ମାନିଲେ।
51 ତେଣୁ ଠିକ୍ ସେହି ଦିନ, ସଦାପ୍ରଭୁ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ଆଗେଇ ନେଲେ। ସୈନ୍ୟ ଶ୍ରେଣୀବଦ୍ଧ ଲୋକମାନେ ମିଶର ପରିତ୍ୟାଗ କଲେ।