33
“ଆୟୁବ ବର୍ତ୍ତମାନ ମୋର କଥା ଶୁଣ।
ଯେଉଁ ବିଷୟ ମୁଁ କହୁଛି, ତାହା ସାବଧାନ ହୋଇ ଶୁଣ।
ମୁଁ କହିବା ପାଇଁ ପ୍ରସ୍ତୁତ।
ମୋର ହୃଦୟ ନିର୍ମଳ, ସେଥିପାଇଁ ମୁଁ ସ‌‌‌ତ୍‌‌‌ବାକ୍ୟ ହିଁ କହିବି।
ମୁଁ ଜାଣିଥିବା ବିଷୟରେ ସତ୍ୟହିଁ କେବଳ କହିବି।
ପରମେଶ୍ୱରଙ୍କ ଆତ୍ମା ମୋତେ ତିଆରି କରିଛି।
ସର୍ବଶକ୍ତିମାନଙ୍କର ନିଶ୍ୱାସ ମୋତେ ଜୀବନ ଦେଇଛି।
ଆୟୁବ ମୋ’ କଥା ଶୁଣ, ଯଦି ତୁମ୍ଭେ ପାର ମୋତେ ଉତ୍ତର ଦିଅ।
ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳରେ ତୁମ୍ଭେ ମୋ’ ସହିତ ଯୁକ୍ତି କରି ପାରିବ।
ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଏବଂ ମୁଁ ସମାନ।
ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ୱର ମାଟି ହିଁ ବ୍ୟବହାର କରିଛନ୍ତି।
ଆୟୁବ ମୋତେ ଭୟ କର ନାହିଁ।
ମୁଁ ତୁମ୍ଭ ପ୍ରତି କଠୋର ହେବି ନାହିଁ।
“କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।
ତୁମ୍ଭେ କହିଲ, ‘ମୁଁ ପବିତ୍ର, ମୁଁ ନିରୀହ,
ମୁଁ କିଛି ଭୁଲ୍ କରି ନାହିଁ, ମୁଁ ଦୋଷୀ ନୁହେଁ।
10 ମୁଁ କିଛି ଭୁଲ୍ କରି ନାହିଁ ଅଥଚ ପରମେଶ୍ୱର ମୋ’ ବିପକ୍ଷରେ।
ପରମେଶ୍ୱର ମୋତେ ଶତ୍ରୁଭଳି ବ୍ୟବହାର କରନ୍ତି।
11 ପରମେଶ୍ୱର ମୋର ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି।
ମୁଁ ଯାହା କରେ ପରମେଶ୍ୱର ତାହା ଲକ୍ଷ୍ୟ କରନ୍ତି।’
12 “କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ।
ପରମେଶ୍ୱର ଯେକୌଣସି ମଣିଷ ଅପେକ୍ଷା ବଡ଼।
13 ତୁମ୍ଭେ ପରମେଶ୍ୱରଙ୍କ ସହିତ କାହିଁକି ଯୁକ୍ତି କରୁଛ।
ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ତୁମ୍ଭେ ଭାବୁଛ ପରମେଶ୍ୱର ସବୁକଥା ତୁମ୍ଭକୁ ବୁଝାଇ କହିବେ?
14 କିନ୍ତୁ ହୁଏତ ପରମେଶ୍ୱର ଏପରି ଭାବରେ କହନ୍ତି ଯେ
ମନୁଷ୍ୟମାନେ ବୁଝିପାରନ୍ତି ନାହିଁ।
15 ପରମେଶ୍ୱର ହୁଏତ ଲୋକଙ୍କୁ ସ୍ୱପ୍ନରେ କହନ୍ତି କିମ୍ବା ରାତିରେ ଦର୍ଶନ ଦେଇ କହନ୍ତି
ଯେତେବେଳେ ସେମାନେ ଗଭୀର ନିଦ୍ରା ଯାଇଥା’ନ୍ତି।
16 ତା’ପରେ ସେ ମନୁଷ୍ୟମାନଙ୍କର କାନ ଖୋଲି ଦିଅନ୍ତି
ଏବଂ ସେମାନଙ୍କୁ ଭୟଭୀତ କରାନ୍ତି ସେମାନେ ଯାହା ଶୁଣନ୍ତି।
17 ପରମେଶ୍ୱର ଲୋକଙ୍କୁ ମନ୍ଦକାର୍ଯ୍ୟରୁ ନିବୃତ୍ତ କରାଇବାକୁ ଚେତାବନୀ ଶୁଣାନ୍ତି
ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
18 ପରମେଶ୍ୱର ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯାହା ଫଳରେ ସେ ତା’ର ପ୍ରାଣକୁ ମୃତ୍ୟୁ ଗର୍ତ୍ତରୁ ରକ୍ଷା କରନ୍ତି।
ଖ‌ଡ଼୍‌ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ ପରମେଶ୍ୱର ଏହା କରନ୍ତି।
19 “କିମ୍ବା ଜଣେ ବ୍ୟକ୍ତି ବିଛଣାରେ ମଧ୍ୟ ପରମେଶ୍ୱରଙ୍କ ବାଣୀ ଶୁଣିପାରେ ଓ ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଓ ଯନ୍ତ୍ରଣା ସହ୍ୟ କରେ।
ପରମେଶ୍ୱର ବ୍ୟଥାଦ୍ୱାରା ସେହି ବ୍ୟକ୍ତିକୁ ଚେତାବନୀ ଦିଅନ୍ତି।
ସେହି ବ୍ୟକ୍ତି ଏତେ ଯନ୍ତ୍ରଣା ପାଏ ସତେ ଯେମିତି ତା’ର ସବୁହାଡ଼ କଷ୍ଟ ପାଏ।
20 ସେ ଏତେ ଯନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପାରେ ନାହିଁ।
ସେ ଏପରିକି ସୁସ୍ୱାଦୁ ଖାଦ୍ୟକୁ ମଧ୍ୟ ଘୃଣା କରେ।
21 ତା’ର ଶରୀର ଦୁର୍ବଳ ହୋଇଯାଏ।
ସେ କ୍ରମେ କ୍ଷୀଣ ହୋଇଯାଏ।
ତା’ର ହାଡ଼ସବୁ ପଦାକୁ ଦେଖାଯାଏ।
22 ସେହି ଲୋକ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଯାଏ।
ତା’ର ଜୀବନ ମୃତ୍ୟୁର ନିକଟ ହୋଇ ଆସେ।
23 ପରମେଶ୍ୱରଙ୍କର ହଜାରେ ଦୂତ ଅଛନ୍ତି।
ସେହି ଦୂତମାନଙ୍କ ମଧ୍ୟରୁ ଜଣେ ହୁଏତ ସେହି ବ୍ୟକ୍ତି ପ୍ରତି ଦୃଷ୍ଟି ରଖିଥାଏ।
ସେହି ଦୂତ ହୁଏତ ସେହି ଲୋକ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ସେ କହିପାରେ।
24 ହୁଏତ ସେହି ଦୂତ ସେହି ଲୋକକୁ କୃପା କରିବେ
ଏବଂ ତା’ ତରଫରୁ ପରମେଶ୍ୱରଙ୍କୁ କହି ପାରନ୍ତି,
‘ସେହି ଲୋକ କବରକୁ ଯିବା ପାଇଁ ରକ୍ଷା ପାଉ’ ମୁଁ କ୍ଷତି ପୂରଣ ପାଇଅଛି।
25 ସେହି ଲୋକର ଶରୀର ପୁଣି ସତେଜ ହେବ ଓ ସେ ପୁଣି ସୁସ୍ଥ ସବଳ ହୋଇଯିବ।
ସେ ଯେଭଳି ଯୁବକ ଥିଲା ପୁଣି ସେହିଭଳି ହୋଇଯିବ।
26 ସେହି ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ୱର ମଧ୍ୟ ତା’ ପ୍ରତି ପ୍ରସନ୍ନ ହେବେ।
ତା’ପରେ ସେ ପରମେଶ୍ୱରଙ୍କର ମୁଖ ଦେଖିବ ଓ ଆନନ୍ଦରେ ଚିତ୍କାର କରି ଉଠିବ,
ଯେତେବେଳେ ସେ ମନୁଷ୍ୟଙ୍କୁ ତା’ର ଯଥାର୍ଥ ଅବସ୍ଥା ଫେରାଇ ଦେବେ।
27 ତା’ପରେ ସେହି ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କରି କହିବ, ‘ମୁଁ ପାପ କରିଛି।
ମୁଁ ଭଲକୁ ମନ୍ଦରେ ପରିଣତ କରିଛି।
କିନ୍ତୁ ପରମେଶ୍ୱର ମୋତେ ଦଣ୍ଡ ଦେଇ ନାହାନ୍ତି ଯାହାର କି ମୁଁ ହକତାର ଥିଲି।
28 ପରମେଶ୍ୱର ମୋର ଆତ୍ମାକୁ ରକ୍ଷା କରିଛନ୍ତି।
ମୃତ୍ୟୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରି ପାରିବି।’
29 “ପରମେଶ୍ୱର ଏ କଥା ବାରମ୍ବାର ସେହି ଲୋକ ପାଇଁ କରନ୍ତି।
30 ସେହି ଲୋକକୁ ଚେତାବନୀ ଦେଇ ତା’ର ଆତ୍ମାକୁ ମୁକ୍ତି ଦେଇ ତାକୁ ମରଣରୁ ରକ୍ଷା କରନ୍ତି।
ଫଳରେ ସେ ଲୋକ ତା’ର ଜୀବନ ଆନନ୍ଦରେ ବିତାଇବ।
31 “ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ।
ନୀରବ ରୁହ ଏବଂ ମୋତେ କହିବାକୁ ଦିଅ।
32 କିନ୍ତୁ ଆୟୁବ ତୁମ୍ଭେ ଯଦି ମୋ’ କଥାରେ ଏକମତ ନ ହେଉଛ ତା’ହେଲେ ତୁମ୍ଭେ କହିଯାଅ।
ତୁମ୍ଭର ଯୁକ୍ତି ମୋତେ କୁହ,
ଯାହା ଫଳରେ ମୁଁ ତାକୁ ସଂଶୋଧନ କରି ଦେବି।
33 କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମୋ’ କଥା ଶୁଣ।
ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।”