ମେଣ୍ଡା ଗଉଡର୍ କାତା
୧ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜେ ଦୁଆର୍ ବାଟେ ନ ଜାଇ ବିନ୍ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ଚର୍ ଆରି କାଙ୍ଗାର୍ । ୨ମାତର୍ ଜେ ଦୁଆର୍ ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ମେଣ୍ଡା ରାସିର୍ ଗଉଡ୍ । ୩ଜାଗୁଆଲ୍ ଦୁଆର୍ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍ସି । ମେଣ୍ଡାମନ୍ ତାର୍ ଡାକ୍ଲାଟା ସୁନ୍ବାଇ, ଆରି ସେମନ୍କେ ବାର୍କରାଇ ଦାରିଜାଇସି । ୪ନିଜର୍ ସବୁ ମେଣ୍ଡାମନ୍କେ ବାଇରେ ଆନ୍ବା ବେଲେ, ସେ ଆଗେ ଆଗେ ଇଣ୍ଡ୍ସି ଆରି ମେଣ୍ଡାମନ୍ ତାର୍ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍ ତାର୍ ଡାକ୍ଲାଟା ଜାନତ୍ । ୫ମାତର୍ ମେଣ୍ଡାମନ୍ କେବେ ମିସା ନ ଚିନ୍ଲା ଲକର୍ ପଚ୍ ପଚ୍ ନ ଜାଅତ୍, ତାର୍ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍ ଅଚିନାର୍ ଲକ୍ ଡାକ୍ଲେ ନ ଜାଅତ୍ ।”
୬ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
ଜିସୁ ନିମାନ୍ ମେଣ୍ଡା ଗଉଡ୍
୭ସେଟାର୍ ପାଇ ଜିସୁ ଆରିତରେକ୍ କଇଲା, “ମୁଇ ତମ୍କେ ସତ୍ କଇଲିନି ମୁଇ ମେଣ୍ଡାମନର୍ ଡିଆଗଡି । ୮ମର୍ ଆଗ୍ତୁ ଜେତେଲକ୍ ଆସିଆଚତ୍, ସେମନ୍ ସବୁଲକ୍ ଜାକ ଚର୍ ଆରି କାଙ୍ଗାର୍ମନ୍, ସେଟାର୍ପାଇ ମେଣ୍ଡାମନ୍ ତାକର୍ କାତା ମୁଲ୍କେ ସୁନତ୍ନାଇ । ୯ମୁଇ ଦୁଆର୍, ଜଦି କେ ମିସା ମର୍ ବାଟେ ଆସି କେଟ୍ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍ରେ ଆରି ବାଇରେ ଜାଇ ଚାରି ପାର୍ସି । ୧୦ଚର୍, ଚରାଇବାକେ, ମରାଇବାକେ, ଆରି ନାସ୍ କର୍ବାକେସେ ଆଇସି, ମାତର୍ ମୁଇ ଜେନ୍ତିକି ସେମନ୍କେ ପୁରାପୁରୁନ୍ ଜିବନ୍ ଦେବାକେ ଆଇଲି ଆଚି ।”
୧୧ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି । ୧୨ଜେ ମେଣ୍ଡା ଚାରାଉ ନଏଁ, ମାତର୍ ବୁତି ପାଉ, ମେଣ୍ଡାମନ୍ ତାର୍ ନିଜର୍ଟା ନଅତ୍, ସେଟାର୍ପାଇ ଡୁର୍କା ଆଇବାଟା ଦେକି ମେଣ୍ଡାମନ୍କେ ଚାଡି ପାଲାଇସି । ଆରି ଡୁର୍କା ମେଣ୍ଡାମନ୍କେ ଦାରି ଚିନ୍ ଚତର୍ କରିଦେଇସି । ୧୩ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍ ପାଇ ଚିନ୍ତା ନ କରେ । ୧୪ ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି, ୧୫ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି । ୧୬ଏନ୍ତାରି ମର୍ ବିନ୍ ମେଣ୍ଡାମନ୍ ଆଚତ୍ । ସେମନ୍ ଏ ରାସି ଟାନେ ନାଇ, ମକେ ସେମନ୍କେ ମିସା ଆନ୍ବାକେ ପଡ୍ସି । ସେମନ୍ ମୁଇ ଡାକ୍ବାଟା ସୁନ୍ବାଇ ଆରି ତେଇର୍ ଗଟେକ୍ ରାସି ଅଇ ରଇବାଇ । “
୧୭“ମର୍ ବାବା ମକେ ଆଲାଦ୍ କଲାନି, କାଇକେବଇଲେ ମୁଇ ମର୍ ଜିବନ୍ ଦେବାକେ ମନ୍ କଲିନି । ଆରି ମର୍ ଜିବନ୍ ଦାନ୍ କର୍ବି ବଇଲେ ଆରିତରେକ୍ ସେଟା ପାଇବି । ୧୮ମର୍ ଜିବନ୍ ବିନ୍ ଲକ୍ ନେଇ ନାପାରତ୍ । ସେଟା ମୁଇ ନିଜେ ମନ୍କରି ଦାନ୍ କର୍ବି କି ଆରିତରେକ୍ ଆନ୍ବାକେ ମିସା ମର୍ ଅଦିକାର୍ ଆଚେ । ମର୍ ବାବା ମକେ ଏ ଅଦିକାର୍ ଦେଇଆଚେ ।”
୧୯ଜିସୁର୍ ଏ ସବୁ କାତାର୍ ଲାଗି ଜିଉଦିମନ୍ ବାଗ୍ ବାଗ୍ ଅଇଗାଲାଇ । ୨୦ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି ?” ୨୧ମାତର୍ ବିନ୍ଲକ୍ମନ୍ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍ କଇନାପାରେ । ଡୁମା କାଇ କାଣା ଲକର୍ ଆଁକି ନିମାନ୍ କରିଦେଇପାରେ କି ?”
ଜିସୁକେ ନାମତ୍ ନାଇ
୨୨ସେ ବେଲେ ସିତ୍ ଦିନ୍ ଅଇରଇଲା ଆରି ଜିରୁସାଲାମ୍ ମନ୍ଦିର୍ ତିଆର୍ କଲା ପରବ୍ ଅଇତେରଇଲା । ୨୩ତେଇ ଜିସୁ ମନ୍ଦିରେ ସଲ୍ମନର୍ ମଣ୍ଡପେ ବୁଲ୍ତେରଇଲା । ୨୪ତେଇ ଜିଉଦିମନ୍ ତାକେ ଚାରିବେଟ୍ତିଅନି ଡାବିଅଇ ପାଚାର୍ବାର୍ ଦାର୍ଲାଇ, “ଆରି କେତେ ଦିନ୍ ଜାକ ଆମ୍କେ ନାଡାଇସୁ ? ତମେ ଜଦି ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍କେ ସତ୍ କାତା କ ।”
୨୫ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପର୍ତୁମ୍ କଇଆଚି, ମାତର୍ ମକେ ବିସ୍ବାସ୍ କରାସ୍ନାଇ । ମର୍ ବାବାର୍ ଅଦିକାରେ ମୁଇ ଜନ୍ ଜନ୍ କାମ୍ମନ୍ କଲିଆଚି, ସେ ସବୁଜାକ ମର୍ ବିସଇର୍ ସାକି ଦେଲାନି । ୨୬ମାତର୍ ତମେ ମକେ ବିସ୍ବାସ୍ କରାସ୍ନାଇ, କାଇକେବଇଲେ ତମେ ମର୍ ମେଣ୍ଡାମନ୍ ନୁଆସ୍ । ୨୭ମର୍ ସବୁ ମେଣ୍ଡାମନ୍ ମୁଇ ଡାକ୍ବାଟା ସୁନ୍ବାଇ, ମୁଇ ସେମନ୍କେ ଜାନି, ଆରି ସେମନ୍ ମର୍ ପଚେ ପଚେ ଆଇବାଇ । ୨୮ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । ୨୯ମର୍ ବାବା ମକେ ଜନ୍ଟା ଦେଲାଆଚେ, ସେଟା ସବୁର୍ଟାନେଅନି ଅଦିକ୍ ମୁଲିଅ । ବାବାର୍ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍ । ୩୦ବାବା ଆରି ମୁଇ ଗଟେକ୍ ସେ ।”
୩୧ଏ କାତା ସୁନି ଲକ୍ମନ୍ ତାକେ ଆରିତରେକ୍ ମାର୍ବାକେ ପାକ୍ନା ବେଟ୍ଲାଇ । ୩୨ଜିସୁ ସେମନ୍କେ କଇଲା, “ମୁଇ ବାବାର୍ ଆଦେସ୍ ଇସାବେ ତମ୍କେ କେତେକ୍ କେତେକ୍ ନିମାନ୍ କାମ୍ ଦେକାଇ ଆଚି, ସେ ସବୁ ନିମାନ୍ କାମ୍ ବିତ୍ରେଅନି, କନ୍ କାମର୍ପାଇ ମକେ ମାର୍ବାକେ ପାକ୍ନା ବେଟିଆଚାସ୍ ?” ୩୩ସେମନ୍ ତାକେ କଇଲାଇ, “ନିମାନ୍ କାମର୍ ଲାଗି ତକେ ଆମେ ମାର୍ବାକେ ପାକ୍ନା ବେଟୁନାଇ, ମାତର୍ ପର୍ମେସର୍କେ ନିନ୍ଦା କଲୁସ୍ନି ବଲିକରି, ଆରି ତୁଇ ମନସ୍ ଅଇକରି ନିଜ୍କେ ପର୍ମେସର୍ ବଲାଇଅଇବାର୍ ଲାଗି ।”
୩୪ଜିସୁ ସେମନ୍କେ କଇଲା, “ତମର୍ ରିତିନିତି ଟାନେ କାଇ ଏଟା ଲେକାନାଇ କି ? ପର୍ମେସର୍ କଇଲା ତମେ ପର୍ମେସର୍ । ୩୫ଆମେ ଜାନୁ ସାସ୍ତରର୍ ବାକିଅ ସବୁ ଦିନର୍ ପାଇ ସତ୍ । ପର୍ମେସରର୍ ବାକିଅ ଜନ୍ଲକ୍ମନ୍ ଜାନିଆଚତ୍, ସେମନ୍କେ ପର୍ମେସର୍ ବଲି କୁଆ ଅଇଲାଆଚେ । ୩୬ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍ ଆଲେ ମୁଇ ନିଜ୍କେ ପର୍ମେସରର୍ ପ ବଲି କଇଲାକେ, ତମେ ମକେ କେନ୍ତି ପର୍ମେସର୍କେ ନିନ୍ଦା କଲୁସ୍ନି ବଲି କଇଲାସ୍ନି ? ୩୭ମୁଇ ଜଦି ମର୍ ବାବାର୍ କାମ୍ ନ କରି, ସେନ୍ତାର୍ଆଲେ ମକେ ବିସ୍ବାସ୍ କରାନାଇ । ୩୮ଜଦି ମୁଇ ସେ ମନ୍କଲାଟା ପୁରାପୁରୁନ୍ କର୍ବି ବଇଲେ, ମକେ ବିସ୍ବାସ୍ ନ କଲେମିସା ମୁଇ କର୍ବା କାମ୍ ବିସ୍ବାସ୍ କରା । ସେଟାର୍ ପାଇ ତମେ ଜାନିପାରାସ୍ ଜେ, ମର୍ ବାବା ପର୍ମେସର୍ ମର୍ ସଙ୍ଗ୍ ଆଚେ ଆରି ମୁଇ ତାର୍ଟାନେ ଆଚି ।”
୩୯ସେମନ୍ ଆରିତରେକ୍ ଜିସୁକେ ଦାର୍ବାକେ ଚେସ୍ଟା କଲାଇ, ମାତର୍ ଜିସୁ ସେମନ୍କେ ଦାରାଇ ନ ଅଇକରି କସ୍ରି ଉଟିଗାଲା ।
୪୦ ତାର୍ପଚେ ସେ ଆରିତରେକ୍ ଜର୍ଦନ୍ ଗାଡର୍ ସେପାଟେ ଉଟିଜାଇକରି ଆଗେ ଜଅନ୍ ଜନ୍ ଜାଗାଇ ଡୁବନ୍ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା । ୪୧ଆରି ବେସିଲକ୍ମନ୍ ତାର୍ଲଗେ ଆସିକରି କଇଲାଇ, “ଜଅନ୍ ସିନା କାଇ କାବାଅଇ ଜିବା କାମ୍ କରି ନ ରଇଲା, ମାତର୍ ଏ ଲକର୍ ବିସଇନେଇ ଜଅନ୍ ଜେତ୍କି କାତା କଇରଇଲା, ସେ ସବୁ ସତ୍ ଆକା ।” ୪୨ଆରି ସେ ଜାଗାଇ ବେସି ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।