The Epistle of Paul the Apostle to the
Ephesians
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଅଭିବାଦନ
୧ ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ | ୨ ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।
ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ
୩ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, ୪ ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; ୫ ପୁଣି, ସେ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୁର୍ବରୁ ନିରୂପଣ କଲେ; ୬ ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ୭ ତାହାଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ୮ ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ୯ ପୁର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, ୧୦ ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। ୧୧ ତାହାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୁର୍ବରୁ ନିରୁପିତ ହେଲୁ, ୧୨ ଯେପରି ଖ୍ରୀଷ୍ଟଙ୍କଠାରେ ପୁର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହେଉ। ୧୩ ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; ୧୪ ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
ପାଉଲଙ୍କ ପ୍ରାର୍ଥନା
୧୫ ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, ୧୬ ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। ୧୭ ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; ୧୮ ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କ'ଣ, ୧୯ ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହି ସବୁ ଜାଣି ପାର; ୨୦ ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, ୨୧ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ, ୨୨ ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; ୨୩ ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା ।