୪
ଜାଗତିକମନା ବିଷୟରେ ସତର୍କତା
୧ ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ ? କ'ଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ ? ୨ ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; ୩ ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ । ୪ ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ । ୫ ନା ତୁମ୍ଭେମାନେ କ'ଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି ? ୬ କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' । ୭ ଅତଏବ, ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ । ୮ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର । ୯ ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ । ୧୦ ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ ।
ଭାଇ ବିରୁଦ୍ଧରେ ବିଚାର
୧୧ ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ମୋଶାଙ୍କ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ମୋଶାଙ୍କ ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ । ୧୨ ମୋଶାଙ୍କ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ ?
ଭବିଷ୍ୟତର ଗର୍ବ
୧୩ ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; ୧୪ କିନ୍ତୁ କାଲି କ'ଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ । ତୁମ୍ଭମାନଙ୍କର ଜୀବନ କ'ଣ ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ । ୧୫ ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ । ୧୬ କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ । ୧୭ ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ ।