୩
ଯିହୋଶୂୟ ମହାଯାଜକଙ୍କ ଦର୍ଶନ
୧ ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟ ମହାଯାଜକ ଦୂତ ସମ୍ମୁଖରେ ଠିଆ ହୋଇଥିବା, ଓ ତାଙ୍କୁ ନିନ୍ଦା କରିବା ପାଇଁ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ। ୨ ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, “ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ଏ କି ଅଗ୍ନିରୁ କଢ଼ା ଖଣ୍ଡେ ପୋଡ଼ା କାଠଖଣ୍ଡ ନୁହେଁ ?” ୩ ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ। ୪ ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, “ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ।” ପୁଣି, ତାଙ୍କୁ ସେ କହିଲେ, “ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରିଅଛୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା।” ୫ ସେତେବେଳେ ମୁଁ କହିଲି, “ଲୋକମାନେ ଏହାର ମସ୍ତକରେ ନିର୍ମଳ ପଗଡି ଦିଅନ୍ତୁ !” ତହିଁରେ ସେମାନେ ତାଙ୍କ ମସ୍ତକରେ ନିର୍ମଳ ପଗଡି ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ। ୬ ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ, ୭ “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯଦି ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ତୁମ୍ଭେ ଆମ୍ଭର ଆଜ୍ଞା ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଓ ପ୍ରସ୍ଥାନର ଅଧିକାର ଦେବା। ୮ ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ! କାରଣ ସେମାନେ ଚିହ୍ନ ସ୍ୱରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା। ୯ କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ! ଏକ ପ୍ରସ୍ତରର ଉପରେ ସାତ ପାର୍ଶ୍ୱ ଅଛି; ତହିଁର ମୁଦ୍ରାରେ ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା। ୧୦ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,” ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”