ଦ୍ୱିତୀୟ ଖଣ୍ଡ 
 42
୪୨:୧-୭୨:୨୦ 
ନିର୍ବାସିତର ପ୍ରାର୍ଥନା (୧) 
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)। 
 1 ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, 
ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ। 
 2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; 
ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି? 
 3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, 
କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?” 
 4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, 
ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି, 
ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି। 
 5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? 
ତୁ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛୁ? 
ପରମେଶ୍ୱରଙ୍କଠାରେ ଭରସା ରଖ; 
କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର 
ତାହାଙ୍କର ପ୍ରଶଂସା କରିବି। 
 6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋʼ 
ଅନ୍ତରରେ ଶୋକାକୁଳ ହେଉଅଛି; 
ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ 
ଓ ମିତ୍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି। 
 7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, 
ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପରେ ଯାଇଅଛି। 
 8 ତଥାପି ସଦାପ୍ରଭୁ ଦିନ ବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, 
ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ 
ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ। 
 9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, 
“ତୁମ୍ଭେ କାହିଁକି ମୋତେ ପାସୋରିଅଛ? 
ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି ବୁଲୁଅଛି?” 
 10 ମୋʼ ଅସ୍ଥିରେ ଖଡ୍ଗ ପରି ମୋʼ ବିପକ୍ଷଗଣ ମୋତେ ତିରସ୍କାର କରନ୍ତି; 
କାରଣ ସେମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ୱର କାହାନ୍ତି? 
 11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? 
ପୁଣି, ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? 
ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; 
କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, 
ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।