43
ନିର୍ବାସିତର ପ୍ରାର୍ଥନା (2) 
 1 ହେ ପରମେଶ୍ୱର, ମୋହର ବିଚାର କର 
ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର; 
ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର। 
 2 କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର ଅଟ; 
ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? 
ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି? 
 3 ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; 
ତାହା ମୋହର ପଥଦର୍ଶକ ହେଉ; 
ତାହା ତୁମ୍ଭ ପବିତ୍ର ପର୍ବତରେ 
ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ। 
 4 ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର 
ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; 
ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ 
ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି। 
 5 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? 
ଓ ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? 
ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର 
ତାହାଙ୍କର ପ୍ରଶଂସା କରିବି, 
ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।