ବ୍ୟଭିଚାରିଣୀଠାରୁ ସତର୍କତା
1ହେ ମୋହର ପୁତ୍ର, ମୋହର କଥାସବୁ ପାଳନ କର
ଓ ମୋହର ଆଜ୍ଞାସବୁ ଆପଣା ହୃଦୟରେ ସଞ୍ଚୟ କରି ରଖ।
2ମୋହର ଆଜ୍ଞାସବୁ ପାଳନ କର, ତହିଁରେ ତୁମ୍ଭେ ବଞ୍ଚିବ
ଓ ଆପଣା ଚକ୍ଷୁର ତାରା ପରି ମୋହର ବ୍ୟବସ୍ଥା ରକ୍ଷା କର।
3ତୁମ୍ଭର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ;
ତୁମ୍ଭର ହୃଦୟ-ପଟାରେ ତାହାସବୁ ଲେଖି ରଖ।
4ଜ୍ଞାନକୁ କୁହ, “ତୁମ୍ଭେ ମୋହର ଭଗିନୀ,”
ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ।
5ତହିଁରେ ସେମାନେ ପରସ୍ତ୍ରୀଠାରୁ,
ଅର୍ଥାତ୍, ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ।
6ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି;
7ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ
ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବା ଲୋକ
8ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ
ତାହାର ଗୃହକୁ ଯିବା ପଥରେ ଚାଲିଲା।
9ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା,
ରାତ୍ରିର କାଳିମା ଓ ଅନ୍ଧକାର ସମୟ।
10ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା,
ସେ ବେଶ୍ୟାବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ।
11ସେ ବଡ଼ ତୁଣ୍ଡେଈ ଓ ଅବାଧ୍ୟା,
ତାହାର ପାଦ ନିଜ ଗୃହରେ ରହେ ନାହିଁ।
12ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ
ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ।
13ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା,
ଆଉ ନିର୍ଲଜ ମୁଖରେ ତାହାକୁ କହିଲା
14“ମଙ୍ଗଳାର୍ଥକ ବଳି ମୋʼ ନିକଟରେ ଅଛି;
ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି।
15ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି
ଓ ଯତ୍ନରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି।
16ମୁଁ ସୁଜନୀ ଓ ମିସରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର
ଆପଣା ପଲଙ୍କରେ ବିଛାଇଅଛି।
17ପୁଣି, ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ
ମୋହର ଶଯ୍ୟା ସୁବାସିତ କରିଅଛି।
18ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ
ଓ ପ୍ରେମରେ ଭୋଳ ହେଉ।
19ଯେହେତୁ କର୍ତ୍ତା ଘରେ ନାହାନ୍ତି,
ସେ ଦୂରକୁ ଯାତ୍ରା କରିଅଛନ୍ତି।
20ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି,
ସେ ପୂର୍ଣ୍ଣିମା ସମୟରେ ଫେରି ଆସିବେ।”
21ଏହିରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା,
ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା।
22ଯେପରି ଗୋରୁ ହତ ହେବାକୁ ଯାଏ
ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ,
ସେହିପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା।
23ଆଉ, ଯେପରି ପକ୍ଷୀ ଫାନ୍ଦକୁ
ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ,
ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା।
24ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ
ଓ ମୋʼ ମୁଖର ବାକ୍ୟରେ ମନୋନିବେଶ କର।
25ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ,
ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ।
26ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଅଛି,
ହଁ, ତାହାର ହତ ଲୋକସକଳ ଅପାର।
27ତାହାର ଗୃହ ପାତାଳକୁ ଯିବାର ବାଟ,
ଯାହା ମୃତ୍ୟୁର ଆଳୟକୁ ଯାଏ।